Unknown

 

 

 

 

 

 

 

 

ପିଲାଙ୍କ ଶ୍ରୀଅରବିନ୍ଦ

ମୂଳ ହିନ୍ଦୀ ଲେଖା

ଅନୁ ପୁରାଣୀ

 

 

ଅନୁବାଦ

ଚିତ୍ତରଞ୍ଜନ ଦାସ

 

Image

ଏଗାର ବର୍ଷ ବୟସରେ ଶ୍ରୀ ଅରବିନ୍ଦ (ଇଂଲଣ୍ଡ, ୧୮୮୩)

 

ଗୋଟିଏ ଦେଶ ଥିଲା । ତା’ର ନାମ ଭାରତବର୍ଷ । ଏକ ବହୁତ ବଡ଼ ଦେଶ, ଯେଉଁଠି କେତେ ନା କେତେ ପ୍ରକାରର ମଣିଷ ବାସ କରୁଥିଲେ ଏବଂ କେତେ ନା କେତେ ପ୍ରକାରର ବୋଲିରେ କଥାବାର୍ତ୍ତା କରୁଥିଲେ । ସମସ୍ତଙ୍କର ଭାଷା ଅଲଗା, ବେଶଭୂଷା ଅଲଗା ଆଉ ଜୀବନର ଢଙ୍ଗ ମଧ୍ୟ ଅଲଗା । ମାତ୍ର ସମସ୍ତେ ସେହି ଏକ ଦେବୀଦେବତାଙ୍କର ପୂଜାକରୁଥିଲେ ।

 

ସମସ୍ତେ ଶିବଙ୍କର ପୂଜା କରୁଥିଲେ ।

ବିଷ୍ଣୁଙ୍କର ନାମ ଜପୁଥିଲେ ।

ବ୍ରହ୍ମାଙ୍କୁ ପ୍ରଜାପତି ବୋଲି କହୁଥିଲେ ।

ଥରେ ସେହି ଦେଶକୁ ସାତସମୁଦ୍ର ପାରି ହୋଇ ଗୋରା ବିଦେଶୀମାନେ ଆସିଲେ ।

 

ଚତୁରତା କରି ସେମାନେ ଏହି ଦେଶବାସୀଙ୍କୁ ପରାସ୍ତ କଲେ ଏବଂ ଦେଶଟାଯାକର ମାଲିକ ହୋଇ ବସିଲେ । ଏହି ଦେଶର ଲୋକମାନେ ଧୀରେଧୀରେ ବିଦେଶୀଭାଷା, ବିଦେଶୀ ବେଶଭୂଷା ଓ ବିଦେଶୀ ଚାଲିଚଳଣକୁ ପସନ୍ଦ କରିବାକୁ ଲାଗିଲେ । ସେହି ବିଦେଶୀମାନଙ୍କୁ ଇଂରେଜ ବୋଲି କୁହାଯାଉଥିଲା ଏବଂ ସେମାନଙ୍କର ଦେଶକୁ ଭାରତବାସୀ ବିଲାତ ବୋଲି କହିବାକୁ ଲାଗିଲେ ।

 

ସେହି ସମୟରେ ଭାରତବର୍ଷରେ ସମୁଦ୍ର ପାରି ହୋଇ ଅନ୍ୟତ୍ର ଯିବାକୁ ମହାପାପ ବୋଲି ବିଚାର କରାଯାଉଥିଲା ।

 

ଯେଉଁମାନେ ସମୁଦ୍ର ପାରି ହୋଇ ବାହାରକୁ ଯାଉଥିଲେ, ସେମାନଙ୍କୁ କୁଟୁମ୍ବରୁ ବାହାର କରି ଦିଆଯାଉଥିଲା । ତଥାପି କେତେକ ସାହସୀ ଲୋକସମୁଦ୍ର ପାରିହୋଇ ବିଦେଶକୁ ଚାଲିଯାଉଥିଲେ ।

 

ଠିକ୍ ଏହିପରି ସାହସ କରି ଜଣେ ବଙ୍ଗାଳୀ ଭଦ୍ରଲୋକ ବିଲାତ ଯାଇ ଡାକ୍ତର ହୋଇଗଲେ ।

 

ସିଏ ଭାରି ବିଚକ୍ଷଣ ଓ ଗୁଣବାନ୍ ଥିଲେ ।

ଇଏ ହେଉଛି ଆଜିଠାରୁ ପ୍ରାୟ ଶହେ ପଚିଶି ବର୍ଷ ତଳର ଘଟଣା ।

 

ସେତେବେଳେ ଯିଏ ବିଲାତ ଯାଉଥିଲେ, ସିଏ ତେଣୁ ଇଂରେଜ ବନି ଦେଶକୁ ଫେରୁଥିଲେ ।

ଆମ ଡାକ୍ତରବାବୁ ମଧ୍ୟ ଗୋଟାସୁଦ୍ଧା ଇଂରେଜ ବନି ବିଲାତରୁ ଫେରିଲେ ।

ଖାଇବା ଗୋଟାସୁଦ୍ଧା ଇଂଲିଶ୍ ।

ପିନ୍ଧିବା ଇଂଲିଶ୍ ।

ରହିବାର ଢଙ୍ଗ ଇଂଲିଶ୍ ।

ଦେଶକୁ ଫେରି ସେ ସରକାରୀ ଚାକିରି କଲେ ।

ଖୁଲ୍‍ନା ଆଉ ରଙ୍ଗପୁରରେ ଖୁବ୍ ସୁନାମ ଅର୍ଜନ କଲେ ।

ଏହି ସହରଗୁଡ଼ିକ ବର୍ତ୍ତମାନ କେଉଁ ଦେଶର ତୁମେମାନେ ଜାଣିଛି ତ ?

ଏଗୁଡ଼ିକ ବଙ୍ଗଳାଦେଶରେ ଓ ସେହି ଡାକ୍ତରଙ୍କ ନାଁ କ’ଣ ଥିଲା କହିଲ ?

ତାଙ୍କର ନାଁ ଥିଲା ଡାକ୍ତର କୃଷ୍ଣଧନ ଘୋଷ ।

 

ସ୍ତ୍ରୀଙ୍କ ନାମ ସ୍ଵର୍ଣ୍ଣଲତା, ଅର୍ଥାତ୍ ସୁନାର ଲତା । ସିଏ ଠିକ୍ ସେହି ସୁନାର ଲତାଟିଏ ପରି ସୁନ୍ଦର ବି ଥିଲେ ।

 

ଡାକ୍ତର କୃଷ୍ଣଧନ ଭଗବାନଙ୍କୁ ମାନୁ ନ ଥିଲେ । କିନ୍ତୁ ଭଗବାନ୍ ତାଙ୍କ ପରିବାରକୁ ଜଣେ ପରମ ଦୈବୀପୁତ୍ରକୁ ପଠାଇଥିଲେ । ତିନୋଟି ଭାଇ ଆଉ ଗୋଟିଏ ଭଉଣୀଙ୍କ ଭିତରେ ଆମର ଏହି କାହାଣୀଟିର ନାୟକ ଅରବିନ୍ଦ ବି ବଢ଼ିବାକୁ ଲାଗିଲେ । ଘରଲୋକେ ତାଙ୍କୁ ଶ୍ରଦ୍ଧାରେ ଅରୋ ବୋଲି ଡାକୁଥିଲେ । ଅରବିନ୍ଦର ଅର୍ଥ ହେଉଛି ପଦ୍ମଫୁଲ । ପଦ୍ମଫୁଲ କେଡ଼େ ସୁନ୍ଦର, କେଡ଼େ ମଧୁର; ଏବଂ ଦେଖୁବାକୁ କେଡ଼େ ଶାନ୍ତ ! ବାଳକ ଅରବିନ୍ଦ ମଧ୍ୟ ଠିକ୍ ସେହିପରି ଗୋଟିଏ ପିଲା ଥିଲା । ସବୁବେଳେ ଚୁପଚାପ୍ ରହୁଥିଲା, କେବେ କୌଣସି ଲଢ଼େଇ ବା କଳିତକରାଳ ଭିତରକୁ ଯାଉ ନ ଥିଲା । ତୁଳସୀ ଦୁଇପତ୍ରରୁ ବାସେ ବୋଲି କଥାରେ କହନ୍ତି ନା ?

 

ସାନ ଅରୋ କ୍ରମେ ଚାରି, ପାଞ୍ଚ ବର୍ଷର ହେଲା ।

ତାକୁ ପାଠ ପଢ଼ିବା ଲାଗି କେଉଁଠାକୁ ପଠାଇବାକୁ ହେବ ?

ଡାକ୍ତର କୃଷଧନ ବଙ୍ଗଳା ଭାଷା ପଢ଼ା ହେଉଥିବା ସ୍କୁଲଗୁଡ଼ାକୁ ପସନ୍ଦ କରୁ ନ ଥିଲେ ।

 

ଖୋଜି ଖୋଜି ତାଙ୍କୁ ଦାର୍‍ଜିଲିଙ୍ଗ୍‍ରେ ଥିବା ଲରେଟୋ ସ୍କୁଲରେ ନେଇ ଭର୍ତ୍ତି କରାଗଲା-।

ତିନି ଜଣଯାକ ଭାଇ,– ବିନୟଭୂଷଣ, ମନୋମୋହନ ଆଉ ଅରବିନ୍ଦ,– ସେଇଠାକୁ ଗଲେ ।

 

ସ୍କୁଲରେ ଇଂରେଜ ମାଷ୍ଟର ଥିଲେ, ପିଲାଏ ବି ଇଂରେଜ ଥିଲେ । ଅରୋ ସେତେବେଳେ ବଙ୍ଗଳା ଭାଷା ଜାଣି ନ ଥାଏ, ଭାରତୀୟ ଆଉ କୌଣସି ଭାଷା ମଧ୍ୟ ଜାଣି ନ ଥାଏ-। ଚାକରମାନଙ୍କ ସହିତ କଥା କହିବା ସମୟରେ ଯାହା ଟିକିଏ ଟିକିଏ ହିନ୍ଦୀ କହି ପାରୁଥାଏ ।

 

ଦୁଇବର୍ଷ ପରେ ବାପା, ମାଆ ସେମାନଙ୍କୁ ବିଲାତ ନେଇଗଲେ । ସେଠାରେ ଆଉ ଗୋଟିଏ ଭାଇ ଜନ୍ମ ହେଲା । ତା’ର ଏମାନୁଏଲ୍ ବୋଲି ନାମ ରଖାଗଲା, ଆମେ ଏହାଙ୍କୁ ବାରୀନ୍ଦ୍ର କୁମାର ବା ବାରୀନ୍ ବୋଲି ଜାଣିଛୁ । ତିନିଭାଇଙ୍କୁ ନେଇ ବିଲାତରେ ଜଣେ ପାଦ୍ରିଙ୍କର ଦାୟିତ୍ଵରେ ସମର୍ପି ଦିଆଗଲା । ପିତା ପାଦ୍ରିଙ୍କୁ କହିଥିଲେ ଯେ ପିଲାମାନଙ୍କୁ କୌଣସି ଭାରତବାସୀ ସହିତ ମିଶିବାକୁ ଦିଆଯିବ ନାହିଁ ବା ସେମାନଙ୍କୁ ଭାରତ ବିଷୟରେ କିଛି ହେଲେ କୁହାଯିବ ନାହିଁ । ପାଦ୍ରିଙ୍କ ନାମ ଥିଲା ଉଇଲିଅମ୍ ଡୁଏଟ୍ । ବଡ଼ଭାଇ ଦୁଇଜଣ ମାଞ୍ଚେଷ୍ଟରେ ଥିବା ଗ୍ରାମାର୍ ସ୍କୁଲରେ ଯାଇ ପଢ଼ିଲେ ଓ ଅରୋ ଘରେ ପଢ଼ିଲା । ଡ୍ରୁଏଟ୍ ତାଙ୍କୁ ଲାଟିନ୍ ଭାଷା ଶିଖାଇଲେ । ଲାଟିନ୍ ଭାଷା କ’ଣ ଜାଣିଛ ? ଆମଦେଶର ସଂସ୍କୃତ ପରି ଇଏ ହେଉଛି ଇଉରୋପର ପୁରାତନ ଭାଷା । ଠିକ୍‍ ସଂସ୍କୃତ ପରି କଷ୍ଟ । ଡ୍ରୁଏଟ୍ ତାଙ୍କୁ କେବଳ ଯେ ଲାଟିନ୍ ଭାଷା ଶିଖାଉଥିଲେ, ତା’ ନୁହେଁ, ଇତିହାସ, ଭୂଗୋଳ, ଗଣିତ ଏବଂ ଫରାସୀ ଭାଷା ମଧ୍ୟ ଶିଖାଉଥିଲେ । ସାନ ପିଲାଟି ଏକାବେଳକେ ଇଂରାଜୀ, ଲାଟିନ୍ ଆଉ ଫ୍ରେଞ୍ଚ୍, ଏହି ତିନୋଟି ଭାଷା ଶିଖୁଥିଲା ।

 

ସେତିକିବେଳେ ଅରୋ ଖୁବ୍ ଭଲ କରି ଇଂରେଜୀ କବିତାମାନ ପଢ଼ିଥିଲା । ନିଜେ କବିତା ମଧ୍ୟ ଲେଖିବାକୁ ଲାଗିଲା; ଯାହାକି ଫକ୍‍ସ୍‍ ଫାମିଲି ମ୍ୟାଗାଜିନ୍‍ରେ ବାହାରୁ ଥିଲା ।

 

୧୮୮୪ ଖ୍ରୀଷ୍ଟାବ୍ଦ ବେଳକୁ ଅରୋ ମଧ୍ୟ ସ୍କୁଲ ଯିବାର ଉପଯୁକ୍ତ ହୋଇଗଲା । ପ୍ରଥମେ ଏକ ପରୀକ୍ଷା ଦେବାକୁ ପଡ଼ିଲା ।

 

ଲଣ୍ଡନରେ ଥିବା ପ୍ରସିଦ୍ଧ ସେଣ୍ଟ୍ ପଲ୍ ସ୍କୁଲର ହେଡ୍‍ମାଷ୍ଟର୍ ଶ୍ରୀଯୁକ୍ତ ୱାକର୍ ପରୀକ୍ଷା କଲେ ଓ ତାକୁ ନିଜର ସ୍କୁଲରେ ଭର୍ତ୍ତି କରିନେଲେ ।

 

ଶିକ୍ଷକ ବାଳକଟିର ପ୍ରତିଭାକୁ ଚିହ୍ନି ପାରିଥିଲେ ଓ ତାକୁ ନିଜେ ପଢ଼ାଇବାକୁ ଲାଗିଲେ ।

 

ଶ୍ରୀଯୁକ୍ତ ୱାକର୍ ତାଙ୍କୁ ଗ୍ରୀକ୍ ଭାଷା ଶିଖାଉଥିଲେ । ଗ୍ରୀକ୍ ମଧ୍ୟ ଠିକ୍‍ ଲାଟିନ୍ ପରି ଆଉ ଗୋଟିଏ କଠିନ ଭାଷା । ତେଣୁ ଏହି କେତୋଟି ବର୍ଷ ତାକୁ ଭାରି ପରିଶ୍ରମ କରିବାକୁ ପଡୁଥିଲା । ଧୀରେ ଧୀରେ ଚୁପଚାପ୍ ରହୁଥିବା ଏହିପିଲାଟି ସାରା ସ୍କୁଲରେ ନାଆଁ କରିପାରିଥିଲା । ସ୍କୁଲର ସାହିତ୍ୟସଭାରେ ତା’ର ଭାଷଣଗୁଡ଼ିକ ଭାରି ଭଲ ହେଉଥିଲା । ତା ସାଙ୍ଗକୁ ପରୀକ୍ଷାରେ ମଧ୍ୟ ପୁରସ୍କାରମାନ ମିଳିବାକୁ ଲାଗିଲା । ସାହିତ୍ୟରେ ‘‘ବଟର୍‍ୱାର୍ଥ୍‍ ପ୍ରାଇଜ୍‌’’ ମିଳିଲା । ଇତିହାସରେ ‘‘ବେଡ୍‌ଫୋର୍ଡ’’ ପୁରସ୍କାର ପ୍ରାପ୍ତ ହେଲା ।

 

ଯଦି ତୁମେ ଭାବୁଥିବ, ‘‘ବିଲାତରେ ସିଏ ଭାରି ମଜାରେ ରହିଥିବେ ଓ ଆରାମରେ ଅଧ୍ୟୟନ କରିବେ’’, ତେବେ ସେ କଥା ଆଦୌ ସତ ନୁହେଁ । ସେମାନଙ୍କର ଅର୍ଥାଭାବ ଏତେ ଉତ୍କଟ ଥିଲା ଯେ ଅନେକ ବାର ଉପାସରେ ବି ରହିବାକୁ ପଡ଼ୁଥିଲା । ଶେଷକୁ ବିନୟଭୂଷଣକୁ ଚାକିରି କରିବାକୁ ପଡ଼ିଲା । ତଥାପି ଅବସ୍ଥା ଏପରି ଥିଲା ସେ ସକାଲେ ଦି’ଖଣ୍ଡ ସାଣ୍ଡ୍‍ଉଇଚ୍, କପେ ଚାହା, ସଞ୍ଜକୁ ପାଞ୍ଚ ପଇସାର କବାବ ଓ ରାତିକୁ କିଛି ନାହିଁ, – ଏହିପରି ଚଳାଇବାକୁ ପଡ଼ୁଥିଲା ।

 

ଲଣ୍ଡନରେ ଏପରି ପ୍ରବଳ ଶୀତ ହେଉଥିଲା ଯେ ତାହା କେବଳ ଆଈର କଥାନୁହେଁ, ପଣିଆଈର କଥା ବି ମନେ ପକାଇ ଦେଉଥିଲା । ଭାରି ଜୋର୍‍ରେ ଥଣ୍ଡା ପବନ ବୋହୁଥିଲା । ଏତେ ଶୀତରେ ମଧ୍ୟ ସେମାନଙ୍କର ଗରମ କୋଟ୍ ନ ଥିଲା, ଘରେ ନିଆଁ ଜଳାଇ ଉଷୁମ କରିବାକୁ କୋଇଲା ବି ନ ଥିଲା । ରାତିରେ ଶୀତରେ କମ୍ପି କମ୍ପି ସେମାନେ ଆଦୌ ଶୋଇ ବି ପାରୁଥିଲେ କି ନାହିଁ କେଜାଣି ?

 

ଏସବୁ ସତ୍ତ୍ୱେ ସିଏ ପଢ଼ାପଢ଼ିରେ ଏପରି ଭଲ କରୁଥିଲେ ଯେ ତାଙ୍କୁ ଛାତ୍ରବୃତ୍ତି ମିଳିବାକୁ ଲାଗିଲା ଓ ସେ ଆଇ.ସି.ଏସ୍. ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଲାଗିଲେ । ଇଂରେଜମାନଙ୍କର ସାମ୍ରାଜ୍ୟରେ ଆଇ.ସି.ଏସ୍. ପରୀକ୍ଷା ଏକ ଅତ୍ୟନ୍ତ ଉଚ୍ଚ ସ୍ତରର ପରୀକ୍ଷା ଥିଲା-। ସେଥିରେ ବଛାବଛା ଇଂରେଜ ଏବଂ ମାତ୍ର କେତେ ଜଣ ଭାରତୀୟ ଛାତ୍ରଙ୍କୁ ଗ୍ରହଣ କରାଯାଉଥିଲା । ସେହି ପରୀକ୍ଷାରେ ପାସ୍ କରି ପାରୁଥିବା ବ୍ୟକ୍ତିମାନଙ୍କୁ ହଁ ବଡ଼ ଚାକିରି ମିଳିପାରୁଥିଲା । ସେତେବେଳେ ପ୍ରତ୍ୟେକ ଛାତ୍ର ଆଇ.ସି.ଏସ୍. ହେବାର ସ୍ଵପ୍ନ ଦେଖୁଥିଲା । ସେଥିରେ ସମ୍ମାନ ମିଳୁଥିଲା । ପଇସା ମିଳୁଥିଲା । ଶ୍ରୀଅରବିନ୍ଦ ସବୁ ବିଷୟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଗଲେ, ମାତ୍ର ଘୋଡ଼ା ଚଢ଼ିବାର ପରୀକ୍ଷା ଦେବାକୁ ଗଲେ ବି ନାହିଁ । ସେହି ପରୀକ୍ଷାରେ ଘୋଡ଼ାକୁ ଚଳାଇ ନିଜର କରାମତି ଦେଖାଇବାକୁ ପଡ଼ୁଥିଲା । ସିଏ ସେହି ପରୀକ୍ଷା ଦେବା ପାଇଁ କାହିଁକି ଗଲେନାହିଁ ?

 

କାରଣ ଆପଣା ଦେଶର ପରାଧୀନତା ତାଙ୍କୁ ପୀଡ଼ିତ କରି ରଖୁଥିଲା । ବର୍ତ୍ତମାନ ସେ ଭାରତବର୍ଷକୁ ସ୍ୱାଧୀନ କରିବାକୁ ଚାହୁଁଥିଲେ । ସିଏ ଅନୁଭବ କରୁଥିଲେ ଯେ ସିଏ କୌଣସି ଗୋଟିଏ ବଡ଼ କାର୍ଯ୍ୟ ଲାଗି ସଂସାରକୁ ଆସିଛନ୍ତି । ଏବଂ ଇଂରେଜମାନଙ୍କର ଚାକର ହୋଇ ସେ ସେହି କାର୍ଯ୍ୟକୁ ଆଦୌ କରି ପାରିବେ ନାହିଁ । ଏହିସବୁ ଘଟଣା ମଧ୍ୟରେ ଚଉଦବର୍ଷ ବିତି ଯାଇଥିଲା ।

 

ସେହି ସମୟରେ ବରୋଦାର ମହାରାଜା ଶ୍ରୀ ଗାଇକୋୱାର୍ଡ୍‍ ଲଣ୍ଡନରେ ଥିଲେ । ପ୍ରତିଭା ଚିହ୍ନିବାରେ ସେ ପ୍ରବୀଣ ଥିଲେ ।

 

ରାଜାଙ୍କର ଅଭିଳାଷ ରହିଥିଲା–

ଆପଣା ରାଜ୍ୟରେ ଶାସନକୁ ଭଲ କରିବା ଲାଗି,

ପ୍ରଜାମାନଙ୍କୁ ସୁଖୀ ଦେଖିବା ଲାଗି,

ପ୍ରଜାମାନଙ୍କୁ ଜ୍ଞାନ ଦେବା ଲାଗି ।

ସେ ଶ୍ରୀଅରବିନ୍ଦଙ୍କୁ ଆପଣାର ରାଜ୍ୟରେ ଚାକିରି ଦେଲେ ।

 

୧୮୯୩ ମସିହା ଫେବ୍ରୁଆରି ମାସରେ ଶ୍ରୀଅରବିନ୍ଦ କାର୍ଥେଜ୍ ନାମକ ଗୋଟିଏ ଜାହାଜରେ ବସି ବିଲାତ ଛାଡ଼ିଲେ ।

 

ଏଣେ ଭାରତ ବର୍ଷରେ ଡାକ୍ତର ଘୋଷ ପୁଅର ପ୍ରତୀକ୍ଷା କରି ରହିଥିଲେ । ଷ୍ଟିମର୍ କମ୍ପାନୀ ତାଙ୍କୁ କାର୍ଥେଜ୍ ପରିବର୍ତ୍ତରେ ଆଉ ଗୋଟାଏ ଜାହାଜର ନାମଲେଖି ପଠାଇ ଦେଇଥିଲା । କେହି ତାଙ୍କୁ ଏକ ଖବର ବି ଆଣିଦେଲା ଯେ ସେହି ଜାହାଜଟି ସମୁଦ୍ରରେ ବୁଡ଼ିଗଲା ଏବଂ ସେଥିରେ ଥିବା କୌଣସି ଯାତ୍ରୀ ରକ୍ଷା ପାଇଲେ ନାହିଁ । ଜାହାଜ ବୁଡ଼ିଯିବା ଫଳରେ ପୁଅ ପ୍ରାଣ ହରାଇଛି ବୋଲି ଶୁଣିବା ମାତ୍ରକେ ବାପା ବେମାର ପଡ଼ିଲେ ଏବଂ ଶ୍ରୀଅରବିନ୍ଦ ଭାରତକୁ ଫେରିଆସିବା ପୂର୍ବରୁହିଁ ତାଙ୍କରି ଦୁଃଖରେ ସେ ପ୍ରାଣତ୍ୟାଗ କଲେ । ରାମଙ୍କର ପ୍ରସ୍ଥାନରେ ଦଶରଥ ମଧ୍ୟ ଏହିପରି ପ୍ରାଣତ୍ୟାଗ କରିଥିଲେ ନା ?

 

ଭାରତବର୍ଷର ଭୂମିରେ ଗୋଡ଼ ପକାଇବା ମାତ୍ରକେ ଶ୍ରୀ ଅରବିନ୍ଦଙ୍କ ମନରେ ଏକ ଶାନ୍ତି ଅବତରଣ କରିଥିଲା । ସେହି ଶାନ୍ତି ସବୁଦିନ ଲାଗି ତାଙ୍କ ସହିତ ରହିଥିଲା ।

 

ବର୍ତ୍ତମାନ ଶ୍ରୀଅରବିନ୍ଦ ବରୋଦା ଗଲେ । ସେଠାରେ ରାଜାଙ୍କର ବ୍ୟକ୍ତିଗତ କାମ ବି କରୁଥିଲେ ଓ ତେଣେ କଲେଜରେ ପାଠ ପଢ଼ାଉଥିଲେ ।

 

ସେ ବରୋଦା କଲେଜର ଛାତ୍ରମାନଙ୍କର ଭାରି ପ୍ରିୟ ଥିଲେ ।

 

ସେହି ସମୟରେ ତାଙ୍କର ଜଣେ ବନ୍ଧୁଙ୍କ ପତ୍ରିକା ‘‘ଇନ୍ଦୁପ୍ରକାଶ’ ପାଇଁ ସେ ରାଜନୀତି ବିଷୟରେ ଏପରି ଟାଣୁଆ ଟାଣୁଆ ଲେଖାମାନ ଲେଖିଲେ ଯେ ଇଂରେଜ ସରକାର ଓ ଭାରତର ଅନ୍ୟ ନେତାମାନେ ସେଥିରେ ଚମକି ଉଠିଥିଲେ । ସେହି ଲେଖାଗୁଡ଼ିକରେ ଶ୍ରୀଅରବିନ୍ଦ ବଡ଼ ଜୋର୍ ଦେଇ କହିଥିଲେ ଯେ ଦେଶକୁ ଇଂରେଜମାନଙ୍କ ହାତରୁ ମୁକୁଳାଇ ଆଣିବାକୁ ହିଁ ପଡ଼ିବ । ତାଙ୍କ ବ୍ୟତୀତ ଆଉ କେହି ଏପରି କଥା କହିବାକୁ ସାହସ କରିନଥିଲେ ।

 

ଏହାର କେତେକ ବର୍ଷ ପରେ ଲର୍ଡ କର୍ଜନ୍ ନାମକ ଜଣେ ଭାଇସ୍‌ରୟ୍ (ଯିଏ ଇଂରେଜ ଶାସନରେ ସବୁଠାରୁ ଉପରେ ଥିବା ଅଫିସର ଥିଲେ) ନିଷ୍ପତ୍ତି କଲେ ଯେ ବଙ୍ଗପ୍ରଦେଶକୁ ଦୁଇ ଖଣ୍ଡରେ ଭାଗ ଭାଗ କରିଦେବାକୁ ହେବ । ଏଥିରେ ସାରା ଦେଶରେ କ୍ରୋଧ କୁହୁଳି ଉଠିଲା ।

 

ଶ୍ରୀଅରବିନ୍ଦ ମଧ୍ୟ ବରୋଦା ଛାଡ଼ିଦେଲେ ଓ ବଙ୍ଗ ଦେଶକୁ ଆସିଲେ ।

 

ବରୋଦାରେ ଥିଲାବେଳେ ମଧ୍ୟ ସେ ଦେଶ ଲାଗି ବିପ୍ଳବର ଏକ ଯୋଜନା ତିଆରି କରିଥିଲେ । କେତେକ ଗୁପ୍ତ ଦଳ ଗଢ଼ା ହୋଇ ସାରିଥିଲେ ଏହି ଲୋକମାନଙ୍କୁ ଗୋଟିଏ ହାତରେ ଗୀତା ଓ ଅନ୍ୟ ହାତରେ ତରବାରି ଧରି ଶପଥ ନେବାକୁ ପଡ଼ୁଥିଲା ଯେ ସେମାନେ ଦେଶକୁ ନିଶ୍ଚୟ ସ୍ଵାଧୀନ କରିବେ, ଦଳର କୌଣସି କଥାକୁ କଦାପି ବାହାରେ କାହାରି ଆଗରେ ପ୍ରକାଶ କରିବେ ନାହିଁ ଏବଂ ଯଦି ଏପରି କରିବେ, ତେବେ ଦଳ ସେମାନଙ୍କର ପ୍ରାଣ ନେଇ ଦଣ୍ଡ ଦେଇପାରିବ ।

 

ସ୍ଵାଧୀନତାର ବାଣୀ ଶୁଣାଇବା ଲାଗି ସେ କଲିକତାରେ ‘ବନ୍ଦେ ମାତରମ୍’ ନାମକ ଗୋଟିଏ ଇଂରାଜୀ ପତ୍ରିକା ବାହାର କଲେ । ସେହି ପତ୍ରିକାରୁ ଅଗ୍ନିର ବର୍ଷା କରାଯାଉଥିଲା । ଶ୍ରୀଅରବିନ୍ଦ ବିପ୍ଳବୀ ଦେଶଭକ୍ତମାନଙ୍କର ଗୁରୁ ହୋଇଗଲେ । କେବଳ ‘‘ବନ୍ଦେ ମାତରମ’’ ବୋଲି କହିବା ମାତ୍ରକେ ପୋଲିସଧରି ନେଇଯାଉଥିଲା ।

 

ଶ୍ରୀଅରବିନ୍ଦ କହିଲେ ଯେ ଭାରତକୁ ସ୍ୱାଧୀନ ହେବାକୁହିଁ ପଡ଼ିବ, କାରଣ ପୃଥିବୀରେ ଏହି ଦେଶକୁ ଅନେକ କାର୍ଯ୍ୟ କରିବାକୁ ରହିଛି । ସିଏ ଭାରତର ଦୁର୍ବଳତାକୁ ମଧ୍ୟ ନିର୍ଦ୍ଦିଷ୍ଟ କରି ଦେଖାଇ କହିଦେଇଥିଲେ । ସେ କହୁଥିଲେ ଯେ ଆମ ପାଖରେ ଉତ୍ସାହ ଅଛି, ବୁଦ୍ଧି ଅଛି, ବିଚାର ବି ଅଛି; ମାତ୍ର ଶକ୍ତି ନାହିଁ । ଆମେ ଯେପର୍ଯ୍ୟନ୍ତ ଶକ୍ତିର ଆରାଧନା ନ କରିବା, ସେପର୍ଯ୍ୟନ୍ତ ଦେଶ କଦାପି ଉପରକୁ ଉଠିବ ନାହିଁ । ସେ ଦୁର୍ଗାଙ୍କର ଆବାହନ କଲେ ଓ କହିଲେ, ମା’, ବର୍ତ୍ତମାନ ଆମେ ତୁମକୁ ଆଉ କଦାପି ଛାଡ଼ିଦେବୁ ନାହିଁ । ତୁମକୁ ଆମେ ସୁନା ଶିକୁଳିରେ ପ୍ରେମର ସହିତ ବାନ୍ଧି ରଖିବୁ । ଆସ ମା', ଆମକୁ ତୁମେ ଦେବତାମାନଙ୍କର ଜ୍ଞାନ ଓ ଚରିତ୍ର ଦିଅ, ଅସୁରମାନଙ୍କ ପରି ଶକ୍ତି ଦିଅ ।”

 

ଶ୍ରୀଅରବିନ୍ଦ ତାଙ୍କର ପତ୍ନୀ ମୃଣାଳିନୀ ଦେବୀଙ୍କ ପାଖକୁ ଏକ ପତ୍ର ଲେଖିଥଲେ, ଯେଉଁଥିରେ କି ସେ ନିଜେ ନିଜକୁ ପାଗଳ ବୋଲି କହିଥିଲେ ଏବଂ ଆପଣାର ତିନୋଟି ପାଗଳାମି ରହିଛି ବୋଲି ମଧ୍ୟ ଉଲ୍ଲେଖ କରିଥିଲେ ।

 

କେଉଁସବୁ ପାଗଳାମି ?

ଦେଶକୁ ସ୍ୱାଧୀନ କରିବାର ପାଗଳାମି,

ଦେଶକୁ ଦେବୀ ଓ ମାଆ ବୋଲି ମାନିବାର ପାଗଳାମି,

ଓ ଭଗବାନଙ୍କୁ ପାଇବାର ପାଗଳାମି ।

 

ଭଗବାନଙ୍କୁ ପାଇବା ସକାଶେ ସେ ଯୋଗର ସାଧନା ଆରମ୍ଭ କଲେ । ତୁମେ ଜାଣିଛି, ତାଙ୍କ ଭିତରେ ଅତ୍ୟନ୍ତ ଏକାଗ୍ରତାର ଶକ୍ତି ରହିଥିଲା । ଚାରିପାଖରେ କୋଳାହଳ ହେଉଥିଲେ ମଧ୍ୟ ସେ ଆପଣାର ଅଧ୍ୟୟନକୁ ଜାରି ରଖିପାରୁଥିଲେ । କେଉଁଠି କୌଣସି ଗୋଳମାଳ ହେଉଛି ବୋଲି ମୋଟେ ଜାଣିପାରୁ ନ ଥିଲେ ।

 

ଏହିପରି ଏକାଗ୍ରତା ସହିତ ସେ ଯୋଗସାଧନା କରୁଥିଲେ ।

 

ଏହା ମଧ୍ୟରେ ତାଙ୍କର ଭାଇ ବାରୀନ୍ଦ୍ରକୁମାର ସଶସ୍ତ୍ର ବିପ୍ଳବରେ ଭାଗନେବାକୁ ଲାଗିଲେ । କିଙ୍ଗ୍‍ସଫୋର୍ଡ଼ ନାମକ ଜଣେ ବିଚାରପତି ଦେଶଭକ୍ତମାନଙ୍କ ଉପରେ ଅତ୍ୟାଚାର କରିଥିଲେ ଏବଂ ସେହି କାରଣରୁ ବାରୀନ୍ଦ୍ରଙ୍କର ଦଳ ତାଙ୍କ ଉପରେ ବୋମା ପକାଇବାର ଉଦ୍ୟମ କରିଥିଲେ । ବାରୀନ୍ଦ୍ର ଧରାପଡ଼ିଲେ, ତାଙ୍କ ସଙ୍ଗରେ ଶ୍ରୀଅରବିନ୍ଦଙ୍କୁ ମଧ୍ୟ ଧରି ନିଆଗଲା । ସରକାର ଧରିନେଲେ ଯେ ଏ କାମଟି ପଛରେ ଶ୍ରୀଅରବିନ୍ଦ ନିଶ୍ଚୟ ରହିଛନ୍ତି ଏବଂ ତେଣୁ ତାଙ୍କୁ କଠିନଦଣ୍ଡ ଦେବା ଲାଗି ଇଚ୍ଛା କରୁଥିଲେ । ବିଚାର ହେବା ପୂର୍ବରୁ ତାଙ୍କୁ ଏକବର୍ଷ ପର୍ଯ୍ୟନ୍ତ ଜେଲ୍‌ରେ ଏକାକୀ ରଖାଯାଇଥିଲା । ମାତ୍ର ଯିଏ ଭଗବାନଙ୍କ ଉପରେ ଶ୍ରଦ୍ଧା ରଖୁଥାଏ, ତା’ ପାଇଁ ଦୁଃଖ ମଧ୍ୟ ସୁଖରେ ପରିଣତ ହୋଇଯାଏ । ଏକାନ୍ତ କୋଠରି ମଧ୍ୟରେ ଶ୍ରୀଅରବିନ୍ଦଙ୍କ ପାଖକୁ କେହି ମଣିଷ ସିନା ଆସିପାରୁ ନଥିଲେ, ମାତ୍ର ସ୍ୱୟଂ ନାରାୟଣ ଆସି ଉପସ୍ଥିତ ହୋଇଗଲେ । ସିଏ ଶ୍ରୀଅରବିନ୍ଦଙ୍କ ହାତରେ ଗୀତା ଆଣିଦେଲେ ଓ ତାଙ୍କୁ ସାଧନା କରିବାକୁ କହିଲେ । ଭଗବାନଙ୍କଠାରୁ ଆଶୀର୍ବାଦ ଗ୍ରହଣ କରି ସେ ଗୀତାଯୋଗ କରିବାକୁ ଲାଗିଲେ । ସିଏ ଦେଖବାକୁ ପାଇଲେ ଯେ ଜେଲ୍‌ର ପାଚେରି ପ୍ରକୃତରେ ପାଚେରିନ ଥିଲା, ପ୍ରକୃତରେ ଭଗବାନ୍ ବାସୁଦେବହିଁ ତାଙ୍କୁ ଘେରିକରି ଠିଆ ହୋଇଥିଲେ । ଯେଉଁସବୁ ଗଛ ତଳେ ସେ ଚଲାବୁଲା କରୁଥିଲେ, ସେଗୁଡ଼ିକ ମଧ୍ୟ କେବଳ ସେହି ଶ୍ରୀକୃଷ୍ଣହିଁ ଥିଲେ, ଯିଏକି ତାଙ୍କୁ ଛାୟାଦାନ କରୁଥିଲେ । ଜେଲ୍‍ର ପୋଲିସ ହୁଅନ୍ତୁ ବା କଏଦୀ ହୁଅନ୍ତୁ, ସମସ୍ତଙ୍କ ମଧ୍ୟରେ କେବଳ ସେହି ନାରାୟଣହିଁ ଦୃଶ୍ୟ ହେବାକୁ ଲାଗିଲେ । ଭଗବାନ୍ ତାଙ୍କୁ କହିଲେ, “ବର୍ତ୍ତମାନ ତୋତେ କିଛି ଅନ୍ୟ କାର୍ଯ୍ୟ ମଧ୍ୟ କରିବାକୁ ହେବ ଏବଂ ସେଥିଲାଗି ପ୍ରସ୍ତୁତ ହେବା ପାଇଁ ତୋତେ ମୁଁ ଜେଲ୍ ଭିତରକୁ ଆଣିଛି ।’’ ଏହି କାମଟି ଥିଲା ଭାରତବର୍ଷର ପ୍ରକୃତ ଶକ୍ତିକୁ ଜାଗ୍ରତ୍ କରିବାର କାମ ।

 

ଅର୍ଥାତ୍ ?

 

ଗୋଟିଏ ଶବ୍ଦରେ କହିବାକୁ ଗଲେ, ଭଗବାନଙ୍କର ଶକ୍ତିକୁ ପୃଥିବୀ ଉପରକୁ ଅବତରଣ କରାଇ ଆଣିବାର କାମ ।

ତାଙ୍କୁ ଜେଲ୍ ଭିତରୁ ମୁକ୍ତ କରି ଆଣିବାକୁ ସାରା ଦେଶ ପାଗଳ ହୋଇଉଠିଲା । କଲିକତାର ପ୍ରସିଦ୍ଧ ଓକିଲ ଶ୍ରୀ ଚିତ୍ତରଞ୍ଜନ ଦାସ ଆପଣାର ଆଉ ସମସ୍ତ କାମ ବନ୍ଦ କରି ଶ୍ରୀଅରବିନ୍ଦଙ୍କୁ ଜେଲ୍ ଭିତରୁ ମୁକୁଳାଇ ଆଣିବା ଲାଗି ଦିନରାତି କାର୍ଯ୍ୟ କରିବାକୁ ଲାଗିଲେ ।

ଜେଲ୍‍ରୁ ମୁକ୍ତ ହୋଇ ଆସିବାର ଅଳ୍ପ ଦିନ ପରେ ଭଗବାନ୍‍ ଶ୍ରୀଅରବିନ୍ଦଙ୍କୁ ପୁଣି ଚନ୍ଦନନଗର ଯିବାକୁ ଆଦେଶ ଦେଲେ । ଆମେ ସମସ୍ତେ ଦେବାଦେବୀଙ୍କର ନାମ ନିଶ୍ଚୟ ଶୁଣିଛୁ, ମାତ୍ର ହୁଏତ କେହିହେଲେ ସେମାନଙ୍କୁ ଆଖିରେ ଦେଖି ନାହୁଁ । ଚନ୍ଦନନଗରର ଏକାନ୍ତବାସରେ ଶ୍ରୀଅରବିନ୍ଦ ଅନେକ ଦେବାଦେବୀଙ୍କର ଦର୍ଶନ କରିଥିଲେ ।

ଶ୍ରୀଅରବିନ୍ଦ ଇଂରେଜ ଶାସନ ସହିତ ଲଢ଼ାଇ କରିବାକୁ ଇଚ୍ଛା କରୁଥିଲେ ସତ, ମାତ୍ର ଅମୁକ ବା ସମୁକ ବ୍ୟକ୍ତିକୁ ହତ୍ୟା କରିବା ତାଙ୍କର ମନକୁ ପାଉ ନଥିଲା । ସରକାର ତାଙ୍କୁ ସବୁଠାରୁ ଅଧିକ ବିପଜନକ ବ୍ୟକ୍ତି ବୋଲି ଭାବୁଥିଲେ । ଗୋଇନ୍ଦା ପୋଲିସ ତାଙ୍କୁ ଖୋଜି ବାହାରକରିବା ଲାଗି ଚାରିଆଡ଼େ ବୁଲୁଥିଲେ ।

ଶ୍ରୀଅରବିନ୍ଦଙ୍କର ଯାତ୍ରାପଥରେ ଚନ୍ଦନନଗର କେବଳ ଗୋଟିଏ ରହଣିସ୍ଥାନ ମାତ୍ର ଥିଲା-। ଦିନେ ଭଗବାନ୍‍ ତାଙ୍କୁ ପଣ୍ଡିଚେରୀ ଯିବା ଲାଗି ଆଦେଶଦେଲେ ଏବଂ ସେ ୧୯୧୦ ମସିହା ଏପ୍ରିଲ ୪ ତାରିଖ ଦିନ ଆସି ପଣ୍ଡିଚେରୀରେ ପହଞ୍ଚିଲେ ।

 

କଥାରେ ଅଛି, ଯେଉଁଠି ଫୁଲ ଫୁଟିଥାଏ, ସେଠାରେ ଭଅଁର ଆଉ ପ୍ରଜାପତିଙ୍କର ମେଳା ଲାଗିଯାଏ । ପଣ୍ଡିଚେରୀରେ ମଧ୍ୟ ଠିକ୍ ତାହାହିଁ ଘଟିଲା । ଭାରତର କବି, ଲେଖକ ଓ ନେତା ବହୁ ସଂଖ୍ୟାରେ ଶ୍ରୀଅରବିନ୍ଦଙ୍କର ସନ୍ଧାନ କରି ଏଠାକୁ ଆସିଲେ । ତାଙ୍କର କେତେଜଣ ପୁରୁଣା ସାଥୀ ମଧ୍ୟ ଆସି ପହଞ୍ଚିଗଲେ ଓ ସେମାନଙ୍କ ମଧ୍ୟରୁ କେତେ ଜଣ ସେଠାରେ ସ୍ଥାୟୀ ଭାବରେ ମଧ୍ୟ ରହିଗଲେ ।

 

କେତେବର୍ଷ ପରେ ୧୯୧୪ ମସିହା ମାର୍ଚ୍ଚ ୨୯ ତାରିଖ ଦିନ ଶ୍ରୀଅରବିନ୍ଦଙ୍କର ଶ୍ରୀମାଙ୍କ ସହିତ ଭେଟ ହେଲା, ତାଙ୍କୁ ସମସ୍ତେ ‘‘ମଦର’’ ବା ‘‘ଶ୍ରୀମା’ ବୋଲି କହନ୍ତି । ମା’ ପ୍ୟାରିସ୍‌ର ଏକ ଧନାଢ଼୍ୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁହିଁ ସେ ଅନ୍ୟମାନଙ୍କଠାରୁ ଅଲଗା ପ୍ରକାରର ଥିଲେ । ତାଙ୍କୁ ତେରବର୍ଷ ହୋଇଥିବା ସମୟରେ ସେ ଗୋଟିଏ ସ୍ୱପ୍ନ ଦେଖୁଥିଲେ, ଯେଉଁଥିରେ କି ସେ ଗୋଟିଏ ସୁନେଲି ଶାଢ଼ି ପିନ୍ଧି ସାରା ସଂସାରର ଉପରକୁ ଉଠିଯାଉଥିଲେ; ତାଙ୍କର ଚତୁର୍ଦିଗରୁ ଅଗଣିତ କେତେ ନା କେତେ ରୋଗୀ, ଦୁଃଖୀ ଓ ଅସହାୟ ଲୋକ ଆସୁଥିଲେ ଓ ତାଙ୍କର ପରିଧାନଟିକୁ ଛୁଇଁବା ମାତ୍ରକେ ଭଲ ହୋଇଯାଉଥିଲେ । ଶ୍ରୀଅରବିନ୍ଦଙ୍କୁ ଦେଖିବା ମାତ୍ରେହିଁ ମା’ ତାଙ୍କୁ ଚିହ୍ନି ନେଇ ପାରିଲେ, କାରଣ ଆପଣାର ଧ୍ୟାନରେ ସେ ଆଗରୁ ଶ୍ରୀଅରବିନ୍ଦଙ୍କୁ ଅନେକ ବାର ଦେଖି ସାରିଥିଲେ ଏବଂ ତାଙ୍କୁ କୃଷ୍ଣ ବୋଲି ବିଶ୍ଵାସ କରୁଥିଲେ । ମା’ ଫ୍ରାନ୍‍ସରେ ଥିଲାବେଳେ ଗୀତା ପଢ଼ିଥିଲେ ଏବଂ ଶ୍ରୀକୃଷ୍ଣଙ୍କ ବିଷୟରେ ଅନେକ କଥା ଜାଣିଥିଲେ । ଏଥର କଳ୍ପନା କଲ, ଯେତେବେଳେ ସେ ଶ୍ରୀଅରବିନ୍ଦଙ୍କୁ ସାକ୍ଷାତ୍ କରିଥିବେ, ସେତେବେଳେ ଆପଣା ଧ୍ୟାନର ଶ୍ରୀକୃଷ୍ଣଙ୍କୁ ଦେଖିବାକୁ ପାଇ ସେ ପ୍ରକୃତରେ କେଡ଼େ ବିସ୍ମିତ ଓ ଆନନ୍ଦିତ ହୋଇ ନ ଥିବେ !

 

ସେତିକିବେଳେ ପ୍ରଥମ ମହାଯୁଦ୍ଧ ଆରମ୍ଭ ହୋଇଗଲା ଓ ମା’ଙ୍କୁ ଫ୍ରାନ୍‍ସ ଯିବାକୁ ପଡ଼ିଲା । ସେ ପୁନର୍ବାର ୧୯୨୦ ମସିହାରେ ଭାରତ ଫେରିଆସିଲେ ଓ ଏଇଠି ରହିଗଲେ ! ଶେଷପର୍ଯ୍ୟନ୍ତ ସେ ଏଇଠି ପଣ୍ଡିଚେରୀରେହିଁ ରହୁଥିଲେ ଏବଂ ତାଙ୍କୁ ଦେଖିବା ଲାଗି କେତେ ଦୂରଦୂରାନ୍ତରୁ ଲୋକମାନେ ଏଠାକୁ ଆସୁଥିଲେ ।

 

ମା’ ତାଙ୍କ ନିଜର ଜୀବନକଥାକୁ ଲେଖି ପ୍ରକାଶ କରନ୍ତୁ ବୋଲି ଥରେ କେହି ତାଙ୍କୁ ଅନୁରୋଧ କରିଥିଲେ । ଏହିଭଳି ବିଷୟକୁ ନେଇ ଲୋକେ ତ ବଡ଼ ବଡ଼ ଗ୍ରନ୍ଥ ଲେଖି ପକାନ୍ତି । ମାତ୍ର ମା’ ଉତ୍ତର ଦେଇ କେବଳ ଏତିକି କହିଲେ; ‘‘ମୁଁ ଶ୍ରୀଅରବିନ୍ଦଙ୍କୁ ଭେଟିବା ସକାଶେ ଭାରତ ଆସିଲି, ତାଙ୍କ ସହିତ କାମ କରିବା ସକାଶେ ଏଠି ରହିଲି ଓ ବର୍ତ୍ତମାନ ମଧ୍ୟ ତାଙ୍କରି କାମ କରିବାରେ ଲାଗିଛି । ସିଏ ପ୍ରକୃତରେ କେତେ ସରଳ, ଗମ୍ଭୀର ଓ ନମ୍ର ନ ଥିଲେ !

 

ଆମେ ନିଜର ଏଇ ଆଖିଟାରେ ଯେଉଁ ଜଗତକୁ ଦେଖୁ, କେବଳ ସେଇଟିହିଁ ଯେ ଏକମାତ୍ର ଜଗତ୍ ତାହା ଆଦୌ ନୁହେଁ । ଏଇଟିକୁ ଛାଡ଼ିଦେଲେ ଆହୁରି ଅନେକ ଜଗତ୍ ମଧ୍ୟ ରହିଛି ଯେଉଁଗୁଡ଼ିକୁ କି ଆମେ କେବଳ ଅନ୍ତରର ଚକ୍ଷୁରେ ଦେଖବାକୁ ସମର୍ଥ ହେବା । ଆମର ବାହ୍ୟ ଆଖି ଦଇଟା ହୁଏତ ଠକାମିରେ ପଡ଼ିଯାଇ ପାରନ୍ତି, ମାତ୍ର ଅନ୍ତରର ଆଖିସବୁ ଯାହା ଦେଖନ୍ତି, ସର୍ବଦା ସତ୍ୟକୁହିଁ ଦେଖିଥା’ନ୍ତି । ମାତ୍ର ଯୋଗସାଧନା ନ ହେଲେ ଭିତରର ସେହି ଆଖୁଗୁଡ଼ିକ ଆଦୌ ଖୋଲି ପାରନ୍ତି ନାହିଁ । ୧୯୨୬ ମସିହାରେ ଶ୍ରୀଅରବିନ୍ଦ ଗୋଟିଏ ନୂତନ ସତ୍ୟର ଦର୍ଶନ କରିଥିଲେ । ଏହାକୁ ତାଙ୍କର ସିଦ୍ଧି ବୋଲି ମଧ୍ୟ କୁହାଯାଇଥାଏ । ସେହି ସତ୍ୟଟି ପ୍ରକୃତରେ କ’ଣ ଥିଲା ? ସେଇଟିକୁ ଯଥାର୍ଥରେ ବୁଝିବା ବା ବୁଝାଇ ପାରିବା ବଡ଼ କଠିନ । ଚାଲ ଆମେ ସେହି ଦିଗରେ ଏଠାରେ କିଞ୍ଚତ୍ ଚେଷ୍ଟା କରିବା ।

 

ବର୍ତ୍ତମାନ ପର୍ଯ୍ୟନ୍ତ ମନୁଷ୍ୟକୁହିଁ ଜଗତର ସବୁଠାରୁ ମହାନ୍ ଜୀବ ବୋଲି କୁହାଯାଇଥାଏ । ଆମେ ସବୁ ତ ଏପରି ବିଶ୍ଵାସ କରିଥାଉ ଯେ ଏହି ଜଗତ୍ ଆମରି ସକାଶେହିଁ ତିଆରି ହୋଇଛି । ମାତ୍ର ପ୍ରକୃତ ସତ କଥା ତାହା ନୁହେଁ । ବର୍ତ୍ତମାନ ପର୍ଯ୍ୟନ୍ତ ମନୁଷ୍ୟ ଆପଣାର ମନ ଓ ବୃଦ୍ଧି ଉପରେ ନିର୍ଭର କରିହିଁ ଯାହାକିଛି କରିଆସିଛି ବା କରୁଛି । ଶ୍ରୀଅରବିନ୍ଦ ଦେଖବାକୁ ପାଇଲେ ଯେ ମନର ରାଜ୍ୟଟି ବର୍ତ୍ତମାନ ସମାପ୍ତ ହେବାକୁ ଯାଉଛି ଏବଂ ବର୍ତ୍ତମାନ ମନୁଷ୍ୟକୁ ମନର ସ୍ତରରୁ ଆହୁରି ଉଚ୍ଚକୁ ଉଠିବାକୁ ପଡ଼ିବ । ମନର ଅତି ଉପରକୁ ଅତିମାନସ । ଅତିମାନସ ହେଉଛି ସେହି ଭଗବାନଙ୍କରହିଁ ନିର୍ଭୁଲ ସୃଜନଶୀଳ ଚେତନା ଏବଂ ଏହା ବର୍ତ୍ତମାନ ଏହି ପୃଥିବୀ ଉପରକୁ ଅବତରଣ କରି ଆସୁଛି ।

 

ବିଜ୍ଞାନର ଅଧ୍ୟୟନ କଲେ ଆମେ ଦେଖିବାକୁ ପାଇବା ଯେ ଏହି ପୃଥିବୀ ସର୍ବପ୍ରଥମେ ଗୋଟିଏ ଅଗ୍ନିପିଣ୍ଡୁଳା ଥିଲା । ତା’ପରେ ତା’ ଉପରେ ବର୍ଷାହେଲା । ପୃଥିବୀଯାକ କେବଳ ପାଣି ଆଉ ପାଣି ହୋଇଗଲା । ପାଣିରେ ସାନ ସାନ ଜୀବଜନ୍ତୁ ଓ ଉଭିଦ ଜନ୍ମଲାଭ କଲେ ଓ ବଢ଼ିବାକୁ ଲାଗିଲେ । ତା’ପରେ ସ୍ଥଳରେ ବିଚରଣ କରି ପାରୁଥିବା ଜନ୍ତୁମାନେ ଆସିଲେ ଏବଂ ଶେଷରେ ମଣିଷବି ଆସିଲା । ମାତ୍ର ମନୁଷ୍ୟକୁ ଆମେ ଖୁବ୍ ପରିପୂର୍ଣ୍ଣ ପ୍ରାଣୀ ବୋଲି କଦାପି କହିବା ନାହିଁ । ଅତିମାନସ ସ୍ତରର ସଭାମାନେ ମନୁଷ୍ୟଠାରୁ ନିଶ୍ଚୟ ଅଧିକ ଭଲ ହେବେ । ଅତିମାନସର ପ୍ରଭାବ ଦ୍ଵାରା ସମଗ୍ର ସଂସାର ମଧ୍ୟ ଅନେକ ଅଧିକ ଭଲ ହୋଇଯିବ । ଶ୍ରୀଅରବିନ୍ଦ ସେହି ଅତିମାନସକୁ ଆଣିବାକୁହିଁ ଚେଷ୍ଟା କରୁଥିଲେ ଏବଂ ଆଜି ବି କରୁଛନ୍ତି ।

 

ହଁ, ଶ୍ରୀଅରବିନ୍ଦ ଭାରତବର୍ଷକୁ ଏକ ସ୍ୱାଧୀନ ଦେଶରୂପେ ଦେଖବାକୁ ଇଚ୍ଛା କରୁଥିଲେ । ସେଥିଲାଗି ସେ କେତେ କାର୍ଯ୍ୟ କଲେ । ତା'ପରେ କ’ଣହେଲା ?

 

Image

ଭବିଷ୍ୟତ୍‍ ଦ୍ରଷ୍ଟା ଶ୍ରୀଅରବିନ୍ଦ (ପଣ୍ଡିଚେରୀ, ୧୯୨୦)

 

୧୯୪୭ ମସିହାରେ ଶ୍ରୀଅରବିନ୍ଦଙ୍କର ଜନ୍ମଦିନରେହିଁ ଭାରତବର୍ଷ ସ୍ୱାଧୀନ ହେଲା । ସେହି ଅବସରରେ ଶ୍ରୀଅରବିନ୍ଦ ଗୋଟିଏ ବାଣୀ ଦେଇଥିଲେ । ସେ କହିଥିଲେ ଯେ ଭାରତବର୍ଷ ସ୍ଵାଧୀନ ହେଲା ସତ, ମାତ୍ର ଗୋଟିଏ ଦେଶ ଦୁଇଟି ଖଣ୍ଡରେ ବିଭକ୍ତ ହୋଇଗଲା । ଏହି ବିଭାଜନ ରହିବା ଉଚିତ ନୁହେଁ, ଏବଂ ଏହା ରହିବ ନାହିଁ । ଭାରତକୁ ଆପଣାର ପୁରାତନ ଓ ଯଥାର୍ଥ ଧର୍ମକୁ ଗ୍ରହଣ କରିନେବାକୁ ପଡ଼ିବ ଏବଂ ସମଗ୍ର ପୃଥିବୀକୁ ମଧ୍ୟ ସେହି ମାର୍ଗରେ ନେଇଯିବାକୁ ପଡ଼ିବ । ସବୁ ଦେଶ ଏକତାବଦ୍ଧ ହୋଇ ବନ୍ଧୁତ୍ର ଏବଂ ପ୍ରେମକୁ ନୀତି ବୋଲି ଗ୍ରହଣ କରି କାର୍ଯ୍ୟ କରିବେ । ତା’ ପୂର୍ବରୁ ଘଟିଥିବା ଗୋଟିଏ ଘଟଣା ବିଷୟରେ ଏଠାରେ କହିଦେବା ଉଚିତ । ୧୯୩୯ ମସିହାରେ ହିଟଲର ନାମକ ଜଣେ ଜର୍ମାନ୍ ଅତ୍ୟାଚାରୀ ଶାସକ ସାରା ଇଉରୋପକୁ ଆଣି ଏକ ଘୋର ସଂକଟ ଭିତରେ ପକାଇ ଦେଇଥିଲା । ସିଏ ଫ୍ରାନ୍‍ସ, ଚେକୋସ୍ଲୋଭାକିଆ, ରୁମାନିଆ, ପୋଲାଣ୍ଡ ଓ ଫିନ୍‌ଲାଣ୍ଡ ପ୍ରଭୃତି ସବୁ ଦେଶକୁ ଜୟ କରିନେଇଥିଲା ଏବଂ ରୁଷିଆକୁ ଆକ୍ରମଣ କଲା-। ସେତେବେଳେ ରୁଷିଆ, ବ୍ରିଟେନ୍ ଓ ଆମେରିକା ଏକାଠି ମିଶି ତା’ର ସମ୍ମୁଖୀନ ହେବା ଲାଗି ନିଷ୍ପତ୍ତି କଲେ । ସେତେବେଳେ ପରାଧୀନ ଭାରତ ବ୍ରିଟେନ୍‌ର ଏହି ସଂକଟବେଳେ ତାକୁ ଆହୁରି ସଂକଟରେ ପକାଇ ସ୍ଵାଧୀନ ହେବା ଲାଗି ଚେଷ୍ଟା କରୁଥିଲା । କିନ୍ତୁ ସେତେବେଳେ ସେହି ଭାରତବର୍ଷର ସଚ୍ଚାପ୍ରେମୀ ଶ୍ରୀଅରବିନ୍ଦ କ’ଣ କହିଲେ ? ସିଏ ସତ୍ୟର ମଧ୍ୟ ଜଣେ ପୂଜାରୀ ଥିଲେ-। ସିଏ କହିଥିଲେ, ବର୍ତ୍ତମାନ ବ୍ରିଟେନ୍ ଏବଂ ଅନ୍ୟ ରାଜ୍ୟଗୁଡ଼ିକୁ ସାହାଯ୍ୟ କରିବା ଉଚିତ, କାରଣ ହିଟ୍‌ଲର ପ୍ରାଚୀନ କାଳର ଅସୁରମାନଙ୍କ ପରି ଯେତେ ବଳବାନ୍ ହେଲେ ମଧ୍ୟ ଅନ୍ଧକାରର ଏକ ଜୀବପରି ଆଚରଣ କରୁଛି । ସେ ଭଗବାନଙ୍କ ବିରୋଧୀ ହୋଇ କାର୍ଯ୍ୟ କରୁଛି । ହିଟ୍‌ଲର ପରାଜିତ ହେଲେ ସମଗ୍ର ସଂସାରର ହିତ ହେବ । ସେହି ମହାଯୁଦ୍ଧରେ ହିଟ୍‌ଲର ପରାଜିତ ହୋଇଥିଲା । କିଏ ଜାଣିଛି, ହୁଏତ ପ୍ରାଚୀନକାଳର ଋଷିମାନଙ୍କ ପରି ଶ୍ରୀଅରବିନ୍ଦଙ୍କର ବ୍ରହ୍ମତେଜଃହିଁ ତାକୁ ପରାସ୍ତ କରିଦେଇଥିଲା ! ବଶିଷ୍ଠ ଋଷି ଆପଣାର ବ୍ରହ୍ମତେଜ୍ୟ ଦ୍ୱାରା ବିଶ୍ୱାମିତ୍ରଙ୍କର ସମ୍ପୂର୍ଣ୍ଣ ସୈନ୍ୟବାହିନୀକୁ ହରାଇ ଦେଇଥିବା କଥା କ’ଣ ଆମର ମନେ ନାହିଁ ?

 

ଶ୍ରୀଅରବିନ୍ଦ ୧୯୫୦ ମସିହା ଡିସେମ୍ବର ୫ ତାରିଖରେ ଆପଣାର ଦେହତ୍ୟାଗ କରିଥିଲେ; ମାତ୍ର ବର୍ତ୍ତମାନ ମଧ୍ୟ ଯେଉଁମାନେ ତାଙ୍କୁ ପ୍ରାର୍ଥନା କରନ୍ତି ବା ତାଙ୍କୁ ଡାକନ୍ତି, ସେ ସେମାନଙ୍କୁ ଆସି ଦେଖା ଦିଅନ୍ତି ।

 

ତାଙ୍କର ସମାଧି ତାଙ୍କରି ପଣ୍ଡିଚେରୀ ଆଶ୍ରମରେ ରହିଛି । ପ୍ରତ୍ୟହ ସୁନ୍ଦର ସୁନ୍ଦର ନାନା ବର କେତେ ଫୁଲରେ ସେହି ସମାଧିସଜ୍ଜିତ କରାଯାଏ । ଲୋକେ ଧୂପ ଜାଳନ୍ତି, ସେଠାରେ ବସିକରି ଧାନକରନ୍ତି ଏବଂ ନୂତନ ଉତ୍ସାହ ଓ ନୂତନ ବଳ ନେଇ ଆପଣାର କାର୍ଯ୍ୟରେ ତତ୍ପର ହେବାକୁ ଯାଆନ୍ତି ।

 

ତାଙ୍କ ଆଶ୍ରମରେ ପ୍ରାୟ ଦୁଇ ହଜାର ବ୍ୟକ୍ତି ଥାଆନ୍ତି । ସେଠାରେ ଏକ ବିଦ୍ୟାଳୟ ମଧ୍ୟ ରହିଛି, ଯେଉଁଠାରେ କି ସବୁକିଛି ବିଷୟ ପଢ଼ାଯାଏ; ଯେଉଁଠାରେ ପୂର୍ଣ୍ଣ ସ୍ଵାଧୀନତା ଦିଆଯାଏ, ମାତ୍ର ମାରପିଟ କିଂବା ପରୀକ୍ଷାର କୌଣସି ନାମଗନ୍ଧହିଁ ନ ଥାଏ । ସେଠାରେ ଏକ ନୂତନ ନଗରୀର ଥାପନା ହେବାକୁ ଯାଉଛି । ତାହାର ନାମ ଅରୋଭିଲ୍ । ଏଠାରେ ସମଗ୍ର ପୃଥିବୀର ଲୋକମାନେ ଏକାଠି ମିଶି ଏକ ନୂତନ ପୃଥିବୀ ପ୍ରତିଷ୍ଠା କରିବାର ପ୍ରୟାସ କରିବାରେ ଲାଗିଛନ୍ତି ।

Image